ବିକ୍ରମ ଦେବ ବିଶ୍ୱବିଦ୍ୟାଳୟ – ସାକାର ହେଲା ସ୍ଵପ୍ନ

୭୫ବର୍ଷ ପୂର୍ତ୍ତି ଅବସରରେ ହାସଲ କରିଛି ବିଶ୍ବବିଦ୍ୟାଳୟର ମାନ୍ୟତା

ଇନ୍‌ସାଇଟ ବ୍ୟୁରୋ : ଶିକ୍ଷା ହିଁ ବିକାଶର ମାପକାଠି। ଆଦିବାସୀ ଅଧ୍ୟୁଷିତ ଅଞ୍ଚଳକୁ ବିକାଶ ଧାରାରେ ସାମିଲ କରିବା ନିମନ୍ତେ ଶିକ୍ଷାର ଭିତ୍ତିଭୂମିକୁ ଦୃଢ଼ କରିବା ଏକାନ୍ତ ଆବଶ୍ୟକୀୟ। ଦକ୍ଷିଣ ଓଡ଼ିଶା ତଥା ଅବିଭକ୍ତ କୋରାପୁଟର କଳାହାଣ୍ଡି, କୋରାପୁଟ, ରାୟଗଡା ନବରଙ୍ଗପୁର ଓ ମାଲକାନଗିରି ଜିଲ୍ଲାର ଛାତ୍ରଛାତ୍ରୀଙ୍କ ଉଚ୍ଚ ଶିକ୍ଷା ନିମନ୍ତେ ଅନନ୍ୟ ଭୂମିକା ଗ୍ରହଣ କରିଥିବା କୋରାପୁଟ ଜିଲ୍ଲାର ସର୍ବପୁରାତନ ବିକ୍ରମ ଦେବ ସ୍ବୟଂଶାସିତ ମହାବିଦ୍ୟାଳୟର ଦୀର୍ଘ ଦିନର ଦାବି ଏବଂ ଅପେକ୍ଷା ପରେ ସାକାର ହୋଇଛି ସ୍ବପ୍ନ। ୭୫ବର୍ଷ ପୂର୍ତ୍ତି ଅବସରରେ ହାସଲ କରିଛି ବିଶ୍ବବିଦ୍ୟାଳୟର ମାନ୍ୟତା।

୧୯୪୭ ମସିହା ଜୁଲାଇ ୧ରେ ଆରମ୍ଭ ହୋଇ ଜୟପୁର ଜୟପୁର ମହାବିଦ୍ୟାଳୟ ପରବର୍ତ୍ତୀ ସମୟରେ ରାଜା ରାଜଶ୍ରୀ ବିକ୍ରମ ଦେବ ବର୍ମାଙ୍କ ସମ୍ମାନାର୍ଥେ ବିକ୍ରମ ଦେବ ମହାବିଦ୍ୟାଳୟ ଭାବେ ନାମକରଣ କରାଯାଇଥିଲା। ଏଥିସହ ୨୦୦୫ ମସିହାରେ ଏହା ସ୍ବୟଂଶାସିତ ମାନ୍ୟତା ଲାଭ କରିଥିଲା। ବର୍ତ୍ତମାନ ମହାବିଦ୍ୟାଳୟର ମାନ୍ୟତା ହାସଲ ପରେ ବ୍ରହ୍ମପୁର ବିଶ୍ବବିଦ୍ୟାଳୟ ଅଧୀନରେ ରହିଥିବା ଅବିଭକ୍ତ କୋରାପୁଟ ଜିଲ୍ଲାର ସମସ୍ତ ମହାବିଦ୍ୟାଳୟ ମାନ ଏହି ନୂଆ ବିଶ୍ବବିଦ୍ୟାଳୟ ଅଧୀନରେ ଆସିବା ସହ ସହଜ ହେବ ଉଚ୍ଚଶିକ୍ଷା ଲାଭ କରିବା। ଏହା ଛାତ୍ରଛାତ୍ରୀଙ୍କ ପାଠପଢ଼ାରେ ଗବେଷଣା କ୍ଷେତ୍ରକୁ ମଧ୍ୟ ପ୍ରଶସ୍ତ କରିବ।

ଗତକାଲି ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କୋରାପୁଟ ଜିଲ୍ଲାର ଶିକ୍ଷାର ବିକାଶ ନିମନ୍ତେ ଐତିହାସିକ ପଦକ୍ଷେପ ଗ୍ରହଣ କରି ବିକ୍ରମ ଦେବ ସ୍ବୟଂଶାସିତ ମହାବିଦ୍ୟାଳୟକୁ ବିଶ୍ବ ବିଦ୍ୟାଳୟର ମାନ୍ୟତା ପ୍ରଦାନ କରିବା ପରେ ଛାତ୍ରଛାତ୍ରୀ, ଅଭିଭାବକ, ବୁଦ୍ଧିଜୀବି ଏବଂ ଜିଲ୍ଲାବାସୀଙ୍କ ମଧ୍ୟରେ ଖୁସିର ଲହରୀ ଖେଲିଯାଇଥିବାର ଦେଖିବାକୁ ମିଳିଛି ଏବଂ ସବୁ ମହଲରେ ଏହି ପଦକ୍ଷେପକୁ ସ୍ବାଗତ କରାଯାଇଛି ।

ବିକ୍ରମ ଦେବ ବିଶ୍ବବିଦ୍ୟାଳୟର ୭୫ବର୍ଷ ପୂର୍ତ୍ତି ଅବସରେ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଜୟପୁର ଗସ୍ତକରି ଆୟୋଜିତ କାର୍ଯ୍ୟକ୍ରମରେ ଯୋଗଦେଇ ସହ ବିକ୍ରମ ଦେବ ବିଶ୍ବବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ନିମନ୍ତେ ୧୦୦୦ ଆସନ ବିଶିଷ୍ଟ ଅଡିଟୋରିୟମ ନିର୍ମାଣ ନିମନ୍ତେ ଘୋଷଣା କରିବା ସହ ୮ କୋଟି ଟଙ୍କା ମଞ୍ଜୁର କରିଛନ୍ତି। ଯାହା ବିକ୍ରମ ଦେବ ବିଶ୍ବବିଦ୍ୟାଳୟର ଛାତ୍ରଛାତ୍ରୀ ଓ କୋରାପୁଟବାସୀଙ୍କ ଖୁସି ଏବଂ ଆଶାକୁ ଦ୍ବିଗୁଣିତ କରିଛି କହିଲେ ଅତ୍ୟୁକ୍ତି ହେବନି।

Bikramdev UniversityEducationJeyporeKoraputOdishaVikram Deb Collegeବିକ୍ରମ ଦେବ ବିଶ୍ୱବିଦ୍ୟାଳୟ