ଚିନ୍ତା ବଢ଼ାଉଛି ‘ଟମାଟୋ ଫ୍ଲୁ’; ମୁକାବିଲା ନେଇ ଓଡ଼ିଶାରେ ପ୍ରସ୍ତୁତି

କରୋନାକୁ ନେଇ ମନରୁ ଭୟ ଯାଇନଥିବା ବେଳେ ଏବ ଆତଙ୍କ ସୃଷ୍ଟି କରିଛି ଟମାଟୋ ଫ୍ଲୁ । ଓଡ଼ିଶା ମଧ୍ୟ ଏହା ଉପରେ ସତର୍କ ଦୃଷ୍ଟି ଦେବା ସହିତ  ସ୍ୱାସ୍ଥ୍ୟ ବିଭାଗ ଏ ନେଇ ଆଗୁଆ ପ୍ରସ୍ତୁତି ଆରମ୍ଭ କରିଛି  ।

Insight Bureau: କରୋନାକୁ ନେଇ ମନରୁ ଭୟ ଯାଇନଥିବା ବେଳେ ଏବ ଆତଙ୍କ ସୃଷ୍ଟି କରିଛି ଟମାଟୋ ଫ୍ଲୁ । ଅଧିକ ଚିନ୍ତାର କାରଣ ପାଲଟିଛି ଏଥିରେ  ଛୋଟ ଛୋଟ ପିଲା ଆକ୍ରାନ୍ତ ହେଉଛନ୍ତି । ବିଶେଷ କରି ଦେଖିବାକୁ ଗଲେ ୫ ବର୍ଷରୁ କମ୍ ବୟସର ପିଲା ଏହି ରୋଗର ଶିକାର ହେଉଛନ୍ତି । କେରଳରେ ୮୨ ଜଣ ପିଲା ଏହି ରୋଗରେ ଆକ୍ରାନ୍ତ ହୋଇଥିବା ବେଳେ ଏହା ଉପରେ ସତର୍କ ନଜର ରଖିଛନ୍ତି ତାମିଲନାଡୁ ଓ କର୍ଣ୍ଣାଟକ ସରକାର । ଓଡ଼ିଶାରେ ଏ ନେଇ ଶିଶୁଭବନରେ ୧୨ଟି ବେଡ୍ ବିଶିଷ୍ଟ ସ୍ୱତନ୍ତ୍ର ୱାର୍ଡ କରାଯାଇଛି । ଟମାଟୋ ଫ୍ଲୁ ଚିହ୍ନଟ ହେଲେ ଏହି ୱାର୍ଡରେ ଚିକିତ୍ସା କରାଯିବ ଆକ୍ରାନ୍ତଙ୍କୁ । ଏହା ସଂକ୍ରମକ ରୋଗ ହୋଇଥିବାରୁ ଆକ୍ରାନ୍ତଙ୍କୁ ସଙ୍ଗରୋଧରେ ରଖିବାକୁ ପରାମର୍ଶ ରହିଛି ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ।

ଓଡ଼ିଶା ମଧ୍ୟ ଏହା ଉପରେ ସତର୍କ ଦୃଷ୍ଟି ଦେବା ସହିତ  ସ୍ୱାସ୍ଥ୍ୟ ବିଭାଗ ଏ ନେଇ ଆଗୁଆ ପ୍ରସ୍ତୁତି ଆରମ୍ଭ କରିଛି  । ରାଜ୍ୟର ଏକମାତ୍ର ଶିଶୁ ରୋଗ ପ୍ରତିଷ୍ଠାନ କଟକର ଶିଶୁ ଭବନରେ ଟମାଟୋ ଫ୍ଲୁ ଚିକିତ୍ସା ପାଇଁ ସ୍ୱତନ୍ତ୍ର ୱାର୍ଡ ପ୍ରସ୍ତୁତ କରାଯାଇଛି । ରାଜ୍ୟର କେହି ଶିଶୁ ଯଦି ଟମାଟୋ ଫ୍ଲୁରେ ସଂକ୍ରମିତ ହେଲେ ତେବେ ତାଙ୍କୁ ଶିଶୁ ଭବନର ଏହି ସ୍ୱତନ୍ତ୍ର ୱାର୍ଡରେ ଭର୍ତ୍ତି କରାଯିବ । ଓଡିଶା ପ୍ରତି ବିପଦ ଥିବା ଆଶଙ୍କା କରି ଟମାଟୋ ଫ୍ଲୁ ମୁକାବିଲା ପାଇଁ ଆଗୁଆ ପ୍ରସ୍ତୁତି କରିଛି ରାଜ୍ୟର ତଥା ରାଜ୍ୟର ସ୍ବାସ୍ଥ୍ୟ ବିଭାଗ । କରୋନା ଭଳି ଏହା ଏକ ଭୂତାଣୁଜନିତ ସଂକ୍ରାମକ ରୋଗ ହୋଇଥିବାରୁ ଏଥିପାଇଁ ମଧ୍ୟ ସ୍ୱତନ୍ତ୍ର ୱାର୍ଡରେ ସଂକ୍ରମିତଙ୍କୁ ଚିକିତ୍ସା କରାଯିବ ।

୫ ବର୍ଷରୁ କମ୍ ବୟସ୍କ ଶିଶୁଙ୍କ ଶରୀରରେ ଏହି ରୋଗର ଲକ୍ଷଣ ଦେଖାଯାଉଥିବାରୁ କିଭଳି ସତର୍କତା ଅବଲମ୍ବନ କରାଯାଇପାରିବ ସେ ନେଇ ବିଶେଷଜ୍ଞ ଡାକ୍ତର ପରାମର୍ଶ ଦେଇଛନ୍ତି । ଏହା ଭୂତାଣୁଜନିତ ଏବଂ ବାୟୁବାହିତ ରୋଗ ଅଟେ । ଏହି ସଂକ୍ରମଣ ରୋଗ ହେଲେ ହାତ, ପାଦ ଓ ମୁହଁରେ ନାଲି ନାଲି ଫଳିଯାଇ ଜ୍ୱର ହୁଏ । ପାଦ ତଳିପାରେ, ଆଣ୍ଠୁ, ଛାତି ଓ ପିଠିରେ ମଧ୍ୟ ଫଳିଯାଏ । ସେଥିପାଇଁ ଏହାକୁ ଟମାଟୋ ଫ୍ଲୁ ବୋଲି କୁହାଯାଉଛି । ଗଳା ଦରଜ, ସର୍ଦ୍ଦି, କାଶ ଓ ନାକରୁ ପାଣି ବାହାରିପାରେ । ବେଳେ ବେଳେ ଭୀଷଣ ଜ୍ୱର ମଧ୍ୟ ରହିପାରେ ସଂକ୍ରମିତଙ୍କୁ  । ଦେହ-ହାତ ଘୋଳାବିନ୍ଧା, କ୍ଲାନ୍ତ ଓ ଅବଶ ଲାଗିପାରେ । ସୁସ୍ଥ ହେବା ପାଇଁ ଗୋଟିଏ ସପ୍ତାହ ଲାଗିପାରେ । ନିର୍ଦ୍ଦିଷ୍ଟ ଚିକିତ୍ସା ନଥିବାରୁ ଲକ୍ଷଣ ଅନୁସାରେ ଚିକିତ୍ସା କରାଯାଏ । ସଂକ୍ରାମକ ହୋଇଥିବାରୁ ଆକ୍ରାନ୍ତଙ୍କୁ ସଙ୍ଗରୋଧରେ ରଖିବାକୁ ପରାମର୍ଶ ଦେଇଛନ୍ତି ସ୍ବାସ୍ଥ୍ୟ ବିଶେଷଜ୍ଞ  ମାନେ ।

କ’ଣ  ରହିଛି ଟମାଟୋ ଫ୍ଲୁ ରୋଗର ଲକ୍ଷଣ –

– ଚର୍ମରେ ଗାଢ ଲାଲ୍‌ ରଙ୍ଗର ବଡ଼ ବଡ଼ ଫୋଟକା ହେବା
– ଅତ୍ୟଧିକ ଜ୍ୱର ହେବା
– ଚର୍ମ କୁଣ୍ଡାଇ ହେବା
– ଶରୀରର ଗଣ୍ଠି ସବୁ ଫୁଲି ଯିବା
– ଅତ୍ୟଧିକ ହାଲିଆ ଲାଗିବା

କେମିତି ପାଇବେ ଏହି ରୋଗରୁ ରକ୍ଷା ?

– ପରିଷ୍କାର ଓ ପରିଚ୍ଛନ୍ନତା ଉପରେ ଅଧିକ ଧ୍ୟାନ ଦିଅନ୍ତୁ
– ଆବଶ୍ୟକୀୟ ପାଣି ପିଅନ୍ତୁ
– ଯଦି କୌଣସି ଶିଶୁଙ୍କ ଠାରେ ଟମାଟୋ ଫ୍ଲୁ ଦେଖା ଯାଇଛି, ତା’ହେଲେ ଶରୀରରେ ଯେଭଳି କୌଣସି ଘା’ ଇତ୍ୟାଦି ସୃଷ୍ଟି ନହୁଏ ଏଥିପ୍ରତି – ଧ୍ୟାନ ରଖିବା ଉଚିତ୍‌
– ସଂକ୍ରମଣ ରୋକିବା ପାଇଁ ସଂକ୍ରମିତ ବ୍ୟକ୍ତିଙ୍କ ସହ କମ୍‌ ମିଳାମିଶା ଆବଶ୍ୟକ
– ଯେଉଁମାନେ ଏହି ରୋଗରେ ଆକ୍ରାନ୍ତ ହୋଇଛନ୍ତି, ସେମାନେ ଯଥେଷ୍ଟ ବିଶ୍ରାମ ନେବା ପ୍ରତି ଧ୍ୟାନ ଦେବା

CuttackOdishaOdisha Health DepartmentSisu bhawanTomato Flu