ଇନ୍ସାଇଟ୍ ବ୍ୟୁରୋ: ସାରା ବିଶ୍ୱର ଜଗନ୍ନାଥପ୍ରେମୀଙ୍କ ପାଇଁ ସ୍ମରଣୀୟ ଦିନ ହୋଇ ରହିବ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଶିଳାନ୍ୟାସ । ଏଥି ପାଇଁ ତିନି ଦିନ ଧରି ଯଜ୍ଞ ଅନୁଷ୍ଠିତ ହୋଇଥିଲା । ବିଶ୍ୱାସର ସହର ପୁରୀ ହେବ ବିଶ୍ୱ ଐତିହ୍ୟ ନଗରୀ । ବିଶ୍ୱ ଦରବାରରେ ଆହୁରି ଚମକିବ ଓଡ଼ିଶାର ଚେହେରା । ଶ୍ରୀମନ୍ଦିର ଇତିହାସରେ ଲେଖାହେବ ନୂଆ ଅଧ୍ୟାୟ । ସ୍ୱତନ୍ତ୍ର ନକ୍ସା ବାସ୍ତବ ରୂପ ଦେବ ଶ୍ରୀମନ୍ଦିରକୁ । ଶ୍ରୀମନ୍ଦିର ଚାରିପାଖ ସୁରକ୍ଷା କରିଡର ସହ ସୃଷ୍ଟି ହେବ ସବୁଜ ବଳୟ ।
ଚାରିପାଖେ ଥିବା ମଠ ଏବଂ ମନ୍ଦିର ଗୁଡ଼ିକର ପୁନଃବିକାଶ ହେବ । ଭକ୍ତଙ୍କ ସାମଗ୍ରୀ ରଖିବା ପାଇଁ ସ୍ୱତନ୍ତ୍ର ଗୃହ, ସୂଚନା ଓ ଦାନ କେନ୍ଦ୍ର କରାଯିବ । ସେବାୟତ ତଥା ପୁରୁଷ ଓ ମହିଳା ଭକ୍ତଙ୍କ ପାଇଁ ସ୍ୱତନ୍ତ୍ର ଶୌଚାଳୟ ବ୍ୟବସ୍ଥା ରହିବ । ତୀର୍ଥଯାତ୍ରୀଙ୍କ ସୁରକ୍ଷା ଓ ନିରାପତ୍ତା ପାଇଁ ଆରକ୍ଷୀ ସେବା କେନ୍ଦ୍ର ,ପାନୀୟଜଳ, ପ୍ରାଥମିକ ଚିକିତ୍ସା କେନ୍ଦ୍ର ଏବଂ ଏ.ଟି.ଏମ୍ ବ୍ୟବସ୍ଥା କରାଯିବ । ଏହି ପ୍ରକଳ୍ପରେ ଶ୍ରୀମନ୍ଦିର ଚତୁଃପାଶ୍ୱର୍ରେ ଭକ୍ତଙ୍କ ପରିକ୍ରମା ନିମନ୍ତେ ଅନ୍ତଃ ଓ ବାହ୍ୟ ପ୍ରଦକ୍ଷଣ ପଥ ଚାରିପାଖରେ ଥିବା ମଠ ଓ ମନ୍ଦିରର ପୁନଃବିକାଶ ସହ ରଥଯାତ୍ରା ସମୟରେ ବ୍ୟବହାର ପାଇଁ ସ୍ୱତନ୍ତ୍ର ପ୍ରଦକ୍ଷଣ ପଥ ରହିବ । ୬ ହଜାର ଭକ୍ତଙ୍କ ସୁବିଧା ପାଇଁ ଅଭ୍ୟର୍ଥନା ପ୍ରକୋଷ୍ଠ ସହ ପଶ୍ଚିମ ଓ ଦକ୍ଷିଣ ପାଶ୍ୱର୍ରେ ଭକ୍ତଙ୍କ ପାଇଁ ଆଶ୍ରୟସ୍ଥଳୀ ମଧ୍ୟ ରହିବ । ଏଥିପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ୨୦୧୯ରୁ ଆରମ୍ଭ ହୋଇଥିଲା ଜମି ଅଧିଗ୍ରହଣ ପ୍ରକ୍ରିୟା । ପ୍ରାୟ ୯୬ ପ୍ରତିଶତ ସରିଛି ଜମି ଅଧିଗ୍ରହଣ କାମ ସରିଛି ।
ପୁରୀ ସହିତ ବିଶ୍ବକୁ ଯୋଡିବା ତଥା ଭକ୍ତ-ଭଗବାନଙ୍କ ମଧ୍ୟରେ ଦୂରତା ହ୍ରାସ କରି ଶ୍ରୀକ୍ଷେତ୍ରକୁ ସର୍ବଶ୍ରେଷ୍ଠ ଧାର୍ମିକ ତଥା ଐତିହ୍ୟ କ୍ଷେତ୍ରରେ ପରିଣତ କରିବା ଲାଗି ଗୁରୁତ୍ବପୂର୍ଣ୍ଣ ୩୩୧ କୋଟିରୁ ଅଧିକ ଟଙ୍କାର ‘ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ’ର ଶୁଭାରମ୍ଭ କରିଥିଲେ ମୁଖ୍ୟମନ୍ତ୍ରୀ । ଏହି ପରିକ୍ରମା ଯୋଜନା ପାଇଁ ପ୍ରାୟ ୮ଶହ କୋଟି ଟଙ୍କା ଖର୍ଚ୍ଚ ହେବ । ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ରାଜ୍ୟ ସରକାରଙ୍କ ମେଗା ପ୍ରକଳ୍ପ । ଏଥି ପାଇଁ ରାଜ୍ୟ ସରକାର ପୂର୍ବରୁ ବଜେଟ ଅନୁମୋଦନ କରିସାରିଥିଲେ ।
ଶିଳାନ୍ୟାସ ପରେ ପରିକ୍ରମା ମାର୍ଗ ନିର୍ମାଣ କାମ ଆରମ୍ଭ କରିବ ଟାଟା ପ୍ରକଳ୍ପ । ୧୮ ମାସ ମଧ୍ୟରେ କାମ ସାରିବାକୁ ରାଜ୍ୟ ସରକାର ନିର୍ଦ୍ଦେଶ ଦେଇଛନ୍ତି । ରାଜ୍ୟ ସରକାର ୩୩୧କୋଟି ୩୮ ଲକ୍ଷ ଟଙ୍କା ମଞ୍ଜୁର କରିଛନ୍ତି ଏହି ପ୍ରକଳ୍ପ ପାଇଁ । ଶ୍ରୀମନ୍ଦିର ଚାରିପାଖ ମେଘନାଦ ପାଚେରୀଠାରୁ ୭୫ ମିଟର ମଧ୍ୟରେ ପ୍ରତିଷ୍ଠା ହେବ ପରିକ୍ରମା ମାର୍ଗ ଏବଂ ଏଥିପାଇଁ ଉଚ୍ଛେଦ ପ୍ରକ୍ରିୟା ପ୍ରାୟ ୯୫ ପ୍ରତିଶତ ଶେଷ ହୋଇ ସାରିଛି ।
ଶ୍ରୀମନ୍ଦିର ପରିସରରେ ଆୟୋଜିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ପ୍ରକଳ୍ପ ପାଇଁ ଜମି ଦେଇଥିବା ବ୍ୟକ୍ତିଙ୍କୁ ସମ୍ମାନିତ କରିଥିଲେ । ଶ୍ରୀକ୍ଷେତ୍ରବାସୀ ସ୍ୱଇଚ୍ଛାରେ ଜମି ଦେଇଥିଲେ । ସଂସ୍କୃତି ପ୍ରେମୀ, ଐତିହାସିକ, ବିଭିନ୍ନ ଧର୍ମାବଲମ୍ବୀ, ପର୍ଯ୍ୟଟକଙ୍କୁ ଶ୍ରୀଜଗନ୍ନାଥ ମନସ୍କ ରହିବ ।