ରାହୁଲ ଗାନ୍ଧୀଙ୍କ ଆକ୍ରମଣ; ନରେନ୍ଦ୍ର ମୋଦିଙ୍କ ପ୍ରତିଆକ୍ରମଣ

ସଂସଦରେ ଥମୁନି କଂଗ୍ରେସ ଓ ବିଜେପିର ଦୋଷ ଲଦାଲଦି କଥାକଟି

ଇନ୍‌ସାଇଟ ବ୍ୟୁରୋ : ଅଦାନୀ ଗ୍ରୁପ ଉପରେ ହିଣ୍ଡନବର୍ଗର ରିପୋର୍ଟ ବାଣିଜ୍ୟ କ୍ଷେତ୍ରରେ ଆଲୋଡନ ସୃଷ୍ଟି କରିଥିବା ବେଳେ ଏବେ ସଂସଦରେ ସୃଷ୍ଟି କରିଛି ହଙ୍ଗାମା। ଲଗାତାର ୨ ଦିନ ହେଲା ସଂସଦରେ ଜାରି ରହିଛି ଆରୋପ ଓ ପ୍ରତ୍ୟାରୋପର ପର୍ବ। କଂଗ୍ରେସ ନେତା ରାହୁଲ ଗାନ୍ଧୀ ସଂସଦରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଟାର୍ଗେଟ କରିବା ସହ ଶିଳ୍ପପତି ଗୌତମ ଅଦାନୀଙ୍କ ବ୍ୟବସାୟ ସାମ୍ରାଜ୍ୟ ବଢ଼ାଇବା‌ରେ ସହଯୋଗ କରିବା ଏବଂ ମୋଦୀ ଯେଉଁ ରାଷ୍ଟ୍ରକୁ ଯାଇଛନ୍ତି ସେଠାରେ ଅଦାନୀ କମ୍ପାନୀକୁ କଣ୍ଟ୍ରାକ୍ଟ ମିଳିଛି ବୋଲି ରାହୁଲ ଅଭିଯୋଗ ବାଢ଼ିଛନ୍ତି।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ୪ଟି ପ୍ରଶ୍ନ ଜରିଆରେ ରାହୁଲ ଗାନ୍ଧୀ ଟାର୍ଗେଟ କରିଛନ୍ତି। ରାହୁଲ ପଚାରିଛନ୍ତି ମୋଦିଜୀ ଆପଣ ଏବଂ ଅଦାନୀ କେତେଥର ଏକାଠି ବିଦେଶ ଗସ୍ତ କରିଛନ୍ତି ? ଆପଣଙ୍କ ବିଦେଶ ଗସ୍ତ ସମୟରେ ଅଦାନୀ କେତେଥର ଆପଣଙ୍କ ସହ ଯୋଗ‌ ଦେଇଛନ୍ତି ? ଆପଣ ଯେଉଁ ବିଦେଶ ରାଷ୍ଟ୍ର ଗସ୍ତରେ ଯାଇଛନ୍ତି ତା’ର ଠିକ୍‌ ପରେ ସେହି ରାଷ୍ଟ୍ରକୁ ଅଦାନୀ କେତେଥର ଯାଇଛନ୍ତି? ଇଲେକ୍ଟୋରାଲ ବଣ୍ଡ୍‌ ମାଧ୍ୟମରେ ଅଦାନୀ ବିଜେପିକୁ କେତେ ଟଙ୍କା ଦେଇଛନ୍ତି ?

ଏଥସହ ରାହୁଲ ଗାନ୍ଧୀ କହିଛନ୍ତି, ମୋଦି ଏବଂ ଅଦାନୀଙ୍କ ସମ୍ପର୍କ ମୋଦୀ ଗୁଜରାଟ ମୁଖ୍ୟମନ୍ତ୍ରୀ ଥିବା ସମୟରେ ଆରମ୍ଭ ହୋଇଥିଲା ଏବଂ ଅସଲ ମ୍ୟା‌ଜିକ୍‌ ମୋଦି ପ୍ରଧାନମନ୍ତ୍ରୀ ହେବାପରେ ଦେଖିବାକୁ ମିଳିଛି। କିପରି ଅଦାନୀ ଗ୍ରୁପ୍‌ ୬ ବିମାନବନ୍ଦର କଣ୍ଟ୍ରାକ୍ଟ ପାଇବ ଏଥିପାଇଁ ନିୟମ ମଧ୍ୟ ବଦଳାଯାଇଛି ବୋଲି ଅଭିଯୋଗ କରିଛନ୍ତି। ସର୍ବୋପରି ରାଜନୀତି ଏବଂ ବ୍ୟାପାରରେ ‘ମିତ୍ର’ର ବ୍ୟବସାୟ କିପରି ବୃଦ୍ଧି କରାଯାଇପାରିବ ଏଥିରେ ମୋଦିଜୀଙ୍କୁ ଗୋଲ୍ଡ ମେଡାଲ୍‌ ମିଳିବା ଦରକାର ବୋଲି କହିଛନ୍ତି।

ଅନ୍ୟପଟେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ବିରୋଧୀ ଦଳର ଅଭିଯୋଗର କଡ଼ା ଜବାବ ରଖିଛନ୍ତି। ରାଷ୍ଟ୍ରପତିଙ୍କ ବଜେଟ୍ ଅଭିଭାଷଣ ଉପରେ ଧନ୍ୟବାଦ ପ୍ରସ୍ତାବ ଆଗତ ମୋଦି କହିଛନ୍ତି ୨୦୦୪ରୁ ୨୦୧୪ ମଧ୍ୟରେ ଦେଶରେ ଏତେ ଘୋଟାଲା ବା ହେଇଛି ଯେ ତାହାକୁ ଘୋଟାଲା ଦଶନ୍ଧି ବୋଲି କୁହାଯାଇପାରେ କିନ୍ତୁ ବର୍ତ୍ତମାନର ଦଶନ୍ଧିକୁ ଭାରତର ଦଶନ୍ଧି ବୋଲି କୁହାଯିବ।

କବିତା ଜରିଆରେ ପ୍ରଧାନମନ୍ତ୍ରୀ ମୋଦି କଂଗ୍ରେସକୁ ଟାର୍ଗେଟ କରି କହିଛନ୍ତି, “ତୁମ ପାଦ ତଳେ କୌଣସି ମାଟି ନାହିଁ ଏବଂ ଆଶ୍ଚର୍ଯ୍ୟର କଥା ଏହା ତମକୁ ଜଣା ବି ନାହିଁ।” ଏଥିସହ ମୋଦି କହିଛନ୍ତି କିଛି ଲୋକଙ୍କୁ ହାଓ୍ବର୍ଡ ଅଧ୍ୟୟନର କ୍ରେଜ୍‌ ଥିବା ବେଳେ ବିଗତ ବର୍ଷରେ ହାଓ୍ବର୍ଡରେ ଏକ ବଢ଼ିଆ ଷ୍ଟଡି କରାଯାଇଛି ଯାହାର ବିଷୟବସ୍ତୁ ହେଉଛି “ରାଇଜ୍‌ ଏଣ୍ଡ୍‌ ଡିକ୍ଲାଇନ୍‌ ଅଫ୍‌ ଇଣ୍ଡିଆସ୍ କଂଗ୍ରେସ”। ଆଗାମୀ ଦିନରେ କଂଗ୍ରେସର ଅଧପତ୍ତନ ଉପରେ କେବଳ ହାଓ୍ବର୍ଡର ନୁହେଁ ବଡ଼ ବଡ଼ ବିଶ୍ବବିଦ୍ୟାଳୟ ମଧ୍ୟ ଅଧ୍ୟୟନ କରିବ ଏବଂ ଦଳକୁ ବୁଡେଇଥିବା ଲୋକ ଉପରେ ମଧ୍ୟ ଅଧ୍ୟୟନ କରାଯିବ ବୋଲି ତାତ୍ସଲ୍ୟ କରି କହିଛନ୍ତି।

ପ୍ରଧାନମନ୍ତ୍ରୀ ମୋଦି ଆହୁରି କହିଛନ୍ତି ଯେ, ସାରା ବିଶ୍ୱ ଭାରତର ପ୍ରଶଂସା କରୁଛି। ଇଏ ନୂଆ ଭାରତ, ନୂଆ ପରିଚୟ ପାଇଥିବା ସମୃଦ୍ଧ ଦେଶ। ମାତ୍ର କିଛି ଲୋକ ଦେଶର ପ୍ରଗତିକୁ ଗ୍ରହଣ କରିପାରୁନାହାନ୍ତି। ସେମାନେ ଭାରତର ଅଗ୍ରଗତି ଦେଖୁନାହାନ୍ତି। ୧୪୦ କୋଟି ଲୋକଙ୍କ ପ୍ରୟାସ ଓ ଶକ୍ତିର ଫଳ ସେମାନେ ଦେଖୁନାହାନ୍ତି। ଆଜି ବିଶ୍ୱ ଭାରତର ସମୃଦ୍ଧିରେ ନିଜର ସମୃଦ୍ଧି ଦେଖୁଛି କିନ୍ତୁ ଏହା ପରେ ବି କିଛି ଲୋକ ନିରାଶାରେ ବୁଡ଼ି ରହିଛନ୍ତି। ମୋଦିଙ୍କ ଆକ୍ରମଣାତ୍ମକ ବ୍ୟକ୍ତବ୍ୟରେ କିଛି କଂଗ୍ରେସ ସାଂସଦ ଗୃହ ତ୍ୟାଗ ମଧ୍ୟ କରିଛନ୍ତି।

BJPCongressNarendra Modiନରେନ୍ଦ୍ର ମୋଦିରାହୁଲ ଗାନ୍ଧୀ