ନବ ଦାସ ହତ୍ୟା ମାମଲା ନେଲା ରାଜନୈତିକ ମୋଡ଼

ରାଜନୈତିକ ଦଳ ମଧ୍ୟରେ ଚାଳିଛି ଦୋଷ ଲଦାଲଦି ପର୍ବ

ଇନ୍‌ସାଇଟ ବ୍ୟୁରୋ : ହାଇପ୍ରୋଫାଇଲ୍ ନବ ଦାସ ହତ୍ୟା ମାମଲାକୁ ୯ ଦିନ ବିତି ଯାଇଥିଲେ ମଧ୍ୟ ମାମଲାର ତଦନ୍ତ କରୁଥିବା କ୍ରାଇମବ୍ରାଞ୍ଚକୁ ମିଳିପାରିନି ହତ୍ୟା ପଛର କାରଣ। ଏହାରି ମଧ୍ୟରେ ରାଜନୈତିକ ଦଳ ମଧ୍ୟରେ ଆରମ୍ଭ ହୋଇ ଯାଇଛି କାଦୁଅ ଛଟାଛଟି। ପ୍ରାରମ୍ଭରୁ ତଦନ୍ତକାରୀ ସଂସ୍ଥାକୁ ନେଇ ବିରୋଧୀ ଅଙ୍ଗୁଳି ଉଠାଉଥିବା ବେଳେ ନବ ଦାସ ହତ୍ୟାକାଣ୍ତକୁ ନେଇ ବର୍ତ୍ତମାନ ରାଜ୍ୟ ରାଜନୀତିରେ ସୃଷ୍ଟି ହୋଇଛି ତୁମ୍ବୀ ତୋଫାନ।

ସ୍ୱର୍ଗତ ନବ ଦାସଙ୍କ ହତ୍ୟାକୁ ନେଇ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମୁଖ୍ୟମନ୍ତ୍ରୀଙ୍କୁ ଟାର୍ଗେଟ୍‌ କରି କହିଛନ୍ତି, ରାଜନୀତିରେ ହିଂସାର ସ୍ଥାନ ନାହିଁ। ଜଣେ କର୍ତ୍ତବ୍ୟରତ ପୋଲିସ ଅଧିକାରୀ ସରକାରୀ ବନ୍ଧୁକରେ ମନ୍ତ୍ରୀଙ୍କୁ ଅତି ନିକଟରୁ ହତ୍ୟା କରିବା ଏବଂ ଘଟଣାର ସପ୍ତାହେ ପରେ ବି ଗୃହ ବିଭାଗ ଦାୟତ୍ୱରେ ଥିବା ମୁଖ୍ୟମନ୍ତ୍ରୀ ନୀରବତା ଅବଲମ୍ବନ କରିବା ଏବଂ ପୋଲିସ ଡିଜି ତଦନ୍ତ ପ୍ରକ୍ରିୟାର ପ୍ରଶ୍ନରେ ମହାପ୍ରଭୁଙ୍କ ନାଁ ନେଇ ହତ୍ୟା ଘଟଣାରୁ ଖସିଯିବା ଉଦ୍ୟମ କରିବା ଦୁର୍ଭାଗ୍ୟଜନକ। ରାଜ୍ୟରେ ଆଇନଶୃଙ୍ଖଳା ବିପର୍ଯ୍ୟସ୍ତ ବେଳେ ଗୃହ ବିଭାଗ ଦାୟିତ୍ୱରେ ଥିବା ମୁଖ୍ୟମନ୍ତ୍ରୀ ନିଜ ଦାୟିତ୍ୱକୁ ସୂଚାରୁରୂପେ ପାଳନ କରିବା ସହ ଜନମତକୁ ସମ୍ମାନ ଦେବାର ଆବଶ୍ୟକତା ରହିଛି। ଦାୟିତ୍ୱ ମିଳିଛି, ଜାଗିର୍ ନୁହେଁ ବୋଲି କହିଛନ୍ତି।

ତଦନ୍ତ ପ୍ରକ୍ରିୟା ନେଇ କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ, ସରକାର ମନ୍ତ୍ରୀଙ୍କ ହତ୍ୟାକୁ ନେଇ ଗମ୍ଭୀର ନଥିବା ବେଳେ ତଦନ୍ତେ “ତୁ ଗୁହାରୀ କରିବୁ ଯାହାକୁ, ମୁଁ ଗେରସ୍ତ କରିଛି ତାହାକୁ” ନୀତି ଚାଲିଛି। ତଦନ୍ତ ପାଇଁ ଦାୟିତ୍ୱ ନେଇଥିବା ଅବସରପ୍ରାପ୍ତ ନ୍ୟାୟଧୀଶଙ୍କ ଅଧିକାର ନେଇ କୌଣସି ସ୍ପଷ୍ଟତା ନାହିଁ। ପୋଲିସକୁ ରାଜନୈତିକ ହାତ ବାରିଶି କରିବାକୁ ଚେଷ୍ଟା କରାଯାଉଥିବା ବେଳେ କ୍ରାଇମବ୍ରାଞ୍ଚ ତଦନ୍ତରେ ରାଜ୍ୟବାସୀଙ୍କା ବିଶ୍ୱାସ ନାହିଁ। ତେଣୁ ନୈତିକତା ଦୃଷ୍ଟିରୁ ତଦନ୍ତ ଦାୟିତ୍ୱ ତୃତୀୟ ପକ୍ଷକୁ ଦିଆଯାଉ ବୋଲି କହିଛନ୍ତି। ଏଥିସହ ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର ପିଏସଓ ଫେରାଇବା ସହ ରାଜ୍ୟରେ ଆଇନଶୃଙ୍ଖଳା ଏବଂ ପୋଲିସ କର୍ମଚାରୀଙ୍କ କାର୍ଯ୍ୟକୁ ଆକ୍ଷେପ କରିଛନ୍ତି।

Support Independent Journalism? Keep us live.

ଅନ୍ୟପଟେ, ନବ ଦାସଙ୍କ ହତ୍ୟାକାଣ୍ଡକୁ ନେଇ ବିଜେପି ରାଜନୀତିକରଣ କରୁଛି ବୋଲି ବିଜେଡି ପକ୍ଷରୁ କୁହାଯାଇଛି। ସମ୍ବେଦନଶୀଳ ପ୍ରସଙ୍ଗରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଦେଇଥିବା ମତ ଅତ୍ୟନ୍ତ ହାସ୍ୟାସ୍ପଦ ଏବଂ ଦୁର୍ଭାଗ୍ୟଜନକ ବୋଲି କହିଛନ୍ତି ବିଜେଡି ରାଷ୍ଟ୍ରୀୟ ମୁଖପାତ୍ର ସସ୍ମିତ ପାତ୍ର।

ଶ୍ରୀ ପାତ୍ର କହିଛନ୍ତି, ତଦନ୍ତରେ ସର୍ବୋଚ୍ଚ ସ୍ବଚ୍ଛତା ପାଇଁ ରାଜ୍ୟ ସରକାର ଓଡ଼ିଶା ହାଇକୋର୍ଟଙ୍କୁ ଅନୁରୋଧ କରିଥିବା ବେଳେ ଉଚ୍ଚ ନ୍ୟାୟାଳୟଙ୍କର ଜଣେ ଅବସରପ୍ରାପ୍ତ ବିଚାରପତି ତଦନ୍ତର ତଦାରଖ କରୁଛନ୍ତି। ଏହା ପରେ ବି ନ୍ୟାୟପାଳିକା ଉପରେ କେନ୍ଦ୍ରମନ୍ତ୍ରୀ ପ୍ରଶ୍ନ ଉଠାଇବା ଦୁର୍ଭାଗ୍ୟଜନକ। ଓଡ଼ିଶା ବିଧାନସଭାର ବିରୋଧୀ ଦଳ ନେତାଙ୍କ ନାଁରେ ୧୪ଟି ଅପରାଧିକ ମାମଲା ରହିଥିବା ବେଳେ ହତ୍ୟା ମାମଲାରେ ଜାମିନରେ ଆସିଥିବା ଜୟନାରାୟଣ ମିଶ୍ରଙ୍କୁ ବିଜେପି ବିରୋଧୀ ଦଳ ମୁଖ୍ୟ କରି ଓଡ଼ିଶା ସରକାରଙ୍କୁ ପ୍ରଶ୍ନ କରିବାର ନୈତିକତା ହରାଇଛି।

ବିଜେଡି ରାଷ୍ଟ୍ରୀୟ ମୁଖପାତ୍ର ସସ୍ମିତ ପାତ୍ର କହିଛିନ୍ତି, ବିଜେପି ଶାସିତ ରାଜ୍ୟରେ ମହିଳାଙ୍କ ପ୍ରତି ଅପରାଧ ବୃଦ୍ଧି, ପୋଲ ଭାଙ୍ଗିବା, ମଦମୃତ୍ୟୁ ମାମଲା ତଥା ରାଜ୍ୟର ସ୍ବାର୍ଥ ପ୍ରସଙ୍ଗରେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କେବେ ବି ମୁହଁ ଖୋଲୁ ନଥିବାବେଳେ ହତ୍ୟା ମାମଲାର ରାଜନୀତିକରଣ କରି ଫାଇଦା ନେବାକୁ ଉଦ୍ୟମ କରୁଛି।

ତେବେ ନବ ଦାସଙ୍କ ହତ୍ୟା ମାମଲାରେ କ୍ରାଇମବ୍ରାଞ୍ଚ ତଦନ୍ତ କରୁଥିବା ବେଳେ ଆଗକୁ ତଦନ୍ତ କେଉଁ ଦିଗକୁ ଯିବ। କେବେ ପୂରା ଘଟଣା ଉପରୁ ପର୍ଦ୍ଦା ଉଠିବ ଏବଂ କେଉଁ କେଉଁ ବଡ ଖୁଲାସା ସାମ୍ନାକୁ ଆସିବ ଏବଂ କେବେ ଦୋଷୀକୁ ଦଣ୍ଡ ମିଳିବ ତାହା ଉପରେ ରହିଛି ସମସ୍ତଙ୍କ ନଜର।

Comments are closed.