ଇନସାଇଟ ବ୍ୟୁରୋ: ପଞ୍ଚାୟତ ଭୋଟକୁ ନେଇ ରାଜ୍ୟର ରାଜନୈତିକ ପାଣିପାଗ ଉଷ୍ମ । ଆଶାୟୀଙ୍କ ସଂଖ୍ୟା ବଢ଼ିବା ସହିତ ସ୍ଥାନୀୟ ନେତାଙ୍କର ମୁଣ୍ଡବ୍ୟଥା ଆରମ୍ଭ ହେଲାଣି। କାହାକୁ ସମର୍ଥନ ଦେବେ ? ଅନ୍ୟ ଆଶାୟୀ ଯଦି ବିଦ୍ରୋହୀ ଭାବେ ବାଜି ମାରିନିଅନ୍ତି କ’ଣ ହେବ ରଣକୌଶଳ ? ବ୍ଲକ ଅଧ୍ୟକ୍ଷ ଓ ଜିଲ୍ଲା ପରିଷଦ ଅଧ୍ୟକ୍ଷ ପଦକୁ ଆଖିରେ ରଖି ଜିଲ୍ଲାସ୍ତରୀୟ ନେତାମାନେ ଗୋଟି ଚାଳନା ଆରମ୍ଭ କରିଛନ୍ତି । ସାଧାରଣ ନିର୍ବାଚନ ପୂର୍ବରୁ ଆସନ୍ତା ପଞ୍ଚାୟତ ଭୋଟ୍ ସେମିଫାଇନାଲ୍ ହୋଇଥିବାରୁ ବିଜେଡି, ବିଜେପି ଓ କଂଗ୍ରେସ ପ୍ରାର୍ଥୀ ଚୟନକୁ ସର୍ବାଧକ ଗୁରୁତ୍ୱ ଦେଉଛନ୍ତି ।
ଆଗାମୀ ସାଧାରଣ ନିର୍ବାଚନ ପାଇଁ ସବୁ ବିଧାୟକ ଏବେଠୁ ନିଜ ନିଜର କ୍ଷେତ୍ର ପ୍ରସ୍ତୁତ କରୁଛନ୍ତି । ଚଳିତ ବର୍ଷ ଦେଖିବାକୁ ମିଳିଛି ଯେ ପଞ୍ଚାୟତ ନିର୍ବାଚନରେ ଗାଁ କମାଣ୍ଡ ସମ୍ଭାଳିବାକୁ ଆଗେଇ ଆସିଛନ୍ତି ଯୁବପିଢ଼ି । କିଏ ବି.ଟେକ କରି ଚାକିରି ନକରି ନିର୍ବାଚନ ମୁହାଁ ହୋଇଛନ୍ତି ତ ଆଉ କିଏ ବିସିଏ କରି । ଏବେ ନିର୍ବାଚନ ମଇଦାନକୁ ଓହ୍ଲାଇଛନ୍ତି ଉଚ୍ଚଶିକ୍ଷିତ ଯୁବକ ଯୁବତୀ । ଡାକ୍ତର, ଇଂଜିନିଅର, ଯୁବପ୍ରତିଭା ଓ ପୂର୍ବତନ ବିଧାୟକ ମଧ୍ୟ ନିର୍ବାଚନ ରଣାଙ୍ଗନକୁ ଓହ୍ଲାଇଛନ୍ତି । ସରପଞ୍ଚ ପାଇଁ ଅଧିକ ଆଶାୟୀ ଥିବାବେଳେ ସବୁ ଦଳ ଫୋକସ କରିଛନ୍ତି ଜିଲ୍ଲା ପରିଷଦ ଆସନକୁ । ଜିଲ୍ଲା ପରିଷଦ ନିର୍ବାଚନ ଦଳୀୟ ଚିହ୍ନରେ ହେଉଥିବାରୁ ଅଧିକ ସିଟରେ ବିଜୟ ଲାଭ କରି ଦବଦବା ଜାହିର କରିବାକୁ ସବୁ ଦଳର ଲକ୍ଷ୍ୟ ।
ସେମିତି ଜଣେ ବିସିଏ ଡିଗ୍ରିଧାରୀ ନିର୍ବାଚନ ମଇଦାନକୁ ଓହ୍ଲାଇଛନ୍ତି । ଚାଷୀ ପରିବାରର କମ୍ପ୍ୟୁଟର ପଢୁଆ ଝିଅ ସରପଞ୍ଚ ପଦ ପାଇଁ ଲଢିବେ ଗଞ୍ଜାମ ଓଡ଼ିଆ ଆଲପୁର ପଞ୍ଚାୟତର ଝିଅ ରଶ୍ମିତା ପାତ୍ର । ସେହିପରି ପୁରୀ ଜିଲ୍ଲା ଅସ୍ତରଙ୍ଗ ରାଜନୀତି ମୈଦାନରେ ମୁମ୍ବାଇ ଟାଟା କମ୍ପାନୀର ଶୁଭସ୍ମିତା ସାହୁ ଇଂଜିନିୟର ଯିଏକି ସିଭିଲ ଇଞ୍ଜିନିୟର ଭାବେ କାମ କରନ୍ତି ସେ ମଧ୍ୟ ନିଜ ଅଞ୍ଚଳର ଲୋକସେବା ପାଇଁ ରାଜନୀତି ମୈଦାନକୁ ଓଲ୍ହାଇଛନ୍ତି ।
ଅନ୍ୟପଟେ ପୂର୍ବତନ ବିଧାୟକ ଭୁଜବଳ ମାଝୀଙ୍କ ଝିଅ ଡକ୍ଟର ଲିପିକା ମାଝୀ ପାପଡାହାଣ୍ଡି ଜିଲ୍ଲା ପରିଷଦ ଜୋନ ୨ ପାଇଁ ପଞ୍ଚାୟତ ନିର୍ବାଚନ ପାଇଁ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି । ଆଊ ଜଣେ ଯୁବକ ବି.ଟେକ ଚାକିରି ଛାଡି ରାଜନୀତିରେ ପାଦ ପକାଇଛନ୍ତି । ସେହିପରି ଭାବେ ପ୍ରଜ୍ଞା ପାରମିତା ଜେନା ଏମବିଏ ଦ୍ୱିତୀୟ ବର୍ଷ ଛାତ୍ରୀ ବାଲେଶ୍ଵର ଜୋନ ୩୫ ଚନ୍ଦନେଶ୍ଵର ମଣ୍ଡଳ ରୁ ଜିଲ୍ଲା ପରିଷଦ ଆସନ ପାଇଁ ବିଜେପି ତରଫରୁ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି ।
କେବଳ ଏତିକି ନୁହନ୍ତି ଆଊ କେତେକ ସ୍ଥାନରେ ମଧ୍ୟ ଦେଖିବାକୁ ମିଳିଛି ନିର୍ବାଚନ ମଇଦାନରେ ଉଚ୍ଚଶିକ୍ଷିତ ଯୁବକ ଯୁବତୀଙ୍କୁ ।
ପଞ୍ଚାୟତ ନିର୍ବାଚନୀ ଜୋର ଧରିଥିବାବେଳେ ଏବେ ଘଷିପୁରା ବିଧାୟକ ବଦ୍ରି ନାରାୟଣ ପାତ୍ରଙ୍କ ଏକ ଭିଡିଓ ବିବାଦୀୟ ହେବାରେ ଲାଗିଛି । ବ୍ଲକସ୍ତରରେ ଆଲୋଚନା କରି ଘଟଗାଁର ଉଚ୍ଚଶିକ୍ଷିତ ବ୍ୟକ୍ତି ଯଜ୍ଞେଶ୍ୱର ଦେହୁରୀଙ୍କୁ ସରପଞ୍ଚ ଭାବେ ଏବଂ ସୁନିତା ସରଡିଆଙ୍କୁ ସମିତି ସଭ୍ୟ ଭାବେ ମନୋନୟନ କରାଯାଇଥିବା ସେ ଏକ ଭିଡିଓରେ ଘୋଷଣା କରୁଛନ୍ତି । ଏପରିକି ପୂର୍ବରୁ ସରପଞ୍ଚ ଥିବା ଏବଂ ଚଳିତ ନିର୍ବାଚନରେ ପୁଣି ଆଶାୟୀ ଥିବା ଅନ୍ନପୂର୍ଣ୍ଣା ଦେହୁରୀଙ୍କୁ ଓହରି ଯିବା ପାଇଁ ନିବେଦନ କରିଛନ୍ତି ବିଧାୟକ । ଏହା ସାଧାରଣ ନାଗରିକଙ୍କ ଅଧିକାର କ୍ଷୁର୍ଣ୍ଣ କହି ଅଭିଯୋଗ କରିଛନ୍ତି ବିରୋଧୀ କଂଗ୍ରେସ ଓ ବିଜେପି ଅନ୍ୟପଟେ ଆଊ ଏକ ଘଟଣାକୁ ନେଇ ବିବାଦରେ ସତ୍ୟବାଦୀ ବିଧାୟକ ଉମାକାନ୍ତ ସାମନ୍ତରାୟ । ଲୋକଙ୍କୁ ଠାକୁରଙ୍କ ପାଦୁକ,ପ୍ରସାଦ ଧରାଇ କଲେ ଶପଥ । ସତ୍ୟବାଦୀ ବିଧାୟକ ଉମାକାନ୍ତ ସାମନ୍ତରାୟ ଗାଁ ଗାଁ ବୁଲି ଶପଥ କରାଇ ମାଗୁଛନ୍ତି ଭୋଟ ।
ସେପଟେ ବିଜୟୀ ପରେ ନେତା ଭୁଲିଯାଉଛନ୍ତି ପ୍ରତିଶ୍ରୁତି । ତେଣୁ ନେତାଙ୍କ ଉପରୁ ଲୋକଙ୍କ ବିଶ୍ୱାସ ତୁଟିଯାଉଛି । ପିପିଲି ବ୍ଲକ ମଙ୍ଗଳପୁର ପଞ୍ଚାୟତରେ ସରପଞ୍ଚ ପ୍ରାର୍ଥୀନୀଙ୍କୁ ନିଆରା ଢଙ୍ଗରେ ଶପଥପାଠ କରାଇଛନ୍ତି ଭୋଟର । ସରପଞ୍ଚ ପ୍ରାର୍ଥୀନୀ ସଂଯୁକ୍ତା ବେହେରାଙ୍କୁ ଫୁଲମାଳ ଦେଇ ସ୍ୱାଗତ କରିବା ସହିତ ଜଗନ୍ନାଥଙ୍କ ନାଁରେ ମହାପ୍ରସାଦ ଓ ଦୁବ ବରକୋଳି ପତ୍ର ଦେଇ ଶପଥପାଠ ବି କରାଇଛନ୍ତି । ନିର୍ବାଚନରେ ଜିତିଲେ ୫ ବର୍ଷ ପଞ୍ଚାୟତ ଉନ୍ନତି କରିବା ସହ ଭୋଟରଙ୍କ ସୁଖ ଦୁଃଖରେ ରହିବେ ବୋଲି ଶପଥପାଠ କରାଇଛନ୍ତି ଭୋଟର ।
ପଞ୍ଚାୟତ ନିର୍ବାଚନ ସହିତ ଲୋକଙ୍କ ସମସ୍ୟା ମଧ୍ୟ ପାଖେଇ ଆସୁଛି । ବିଭିନ୍ନ ଜିଲ୍ଲାରେ ସମସ୍ୟାକୁ ନେଇ ଲୋକଙ୍କ ବିରୋଧ ଦେଖିବାକୁ ମିଳିଛି । ଉଚ୍ଚ ଶିକ୍ଷିତ ଯୁବକ ଯୁବତୀ ରାଜନୀତିରେ ପାଦ ଦେଉଥିବାରୁ ପଞ୍ଚାୟତମାନଙ୍କରେ ରାଜନୈତିକ ମାନଚିତ୍ର ବଦଳିବା ନେଇ ସ୍ପଷ୍ଟ ହେବାରେ ଲାଗିଛି । ଏହାରି ଭିତରେ ରାଜନୀତିରେ ଆସିଥିବା ଶିକ୍ଷିତ ଯୁବକ ଯୁବତୀମାନେ କେମିତି ଲୋକଙ୍କ ଆସ୍ଥାଭାଜନ ହୋଇପାରୁଛନ୍ତି ଓ କିପରି ବିପକ୍ଷ ପାର୍ଥୀକୁ ମାତ ଦେଇ ପାରୁଛନ୍ତି ତାହା ଦେଖିବାକୁ ବାକି ରହିଲା ।