ଅଧିକ ସଶକ୍ତ ହେବ ମିଶନ ଶକ୍ତି; ଆଗାମୀ 5 ବର୍ଷରେ ଖର୍ଚ୍ଚ ହେବ ୪୯୭୩.୩୯ କୋଟି

ଏହା ସହ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ବିଭିନ୍ନ ସାମଗ୍ରୀ ବିକିବାକୁ ୫୦୦ଟି ମିଶନ ଶକ୍ତି ବଜାର ସ୍ଥାପନ ହେବ ।

Insight Bureau: ଏବେ ମିଶନ ଶକ୍ତି ମାଧ୍ୟମରେ ଆହୁରି ସଶକ୍ତ ହେବେ ମହିଳା । ଏବେ ପ୍ରତି ପଞ୍ଚାୟତରେ ଓ ସହରାଞ୍ଚଳର ପ୍ରତ୍ୟେକ ଓ୍ୱାର୍ଡରେ ହେବ ମିଶନ ଶକ୍ତି ଭବନ । ଆସନ୍ତା ୫ ବର୍ଷରେ ମିଶନ ଶକ୍ତିରେ ଖର୍ଚ୍ଚ ହେବ ୪ ହଜାର ୯୭୩ କୋଟି । ଏନେଇ ଗତକାଲି କ୍ୟାବିନେଟ ବୈଠକରେ ନିଷ୍ପତ୍ତି ହୋଇଛି । ମହିଳା ନେତୃତ୍ବାଧୀନ  ସ୍ବୟଂ ସହାୟକ ଗୋଷ୍ଠୀମାନଙ୍କର ସାମାଜିକ ତଥା ଅର୍ଥନୈତିକ ସଶକ୍ତିକରଣ ତଥା ଅଭିବୃଦ୍ଧି ପାଇଁ ସମର୍ପିତ ଏହି ଐତିହାସିକ ନିଷ୍ପତ୍ତି, ରାଜ୍ୟର ଗ୍ରାମ ତଥା ସହରାଞ୍ଚଳମାନଙ୍କରେ ମିଶନ ଶକ୍ତିର ନୀରବ ବିପ୍ଳବକୁ ଆହୁରି ମଜବୁତ କରିବ ।

ଗତକାଲି ସନ୍ଧ୍ୟା କ୍ୟାବିନେଟ ବୈଠକରେ ୩୨ଟି ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବ ଉପରେ ମୋହର ବାଜିଥିଲା । ତେବେ ଗତକାଲି ନିଆଯାଇଥିବା ନିଷ୍ପତ୍ତି ମଧ୍ୟରୁ ରାଜ୍ୟ ସରକାର ’ମିଶନ ଶକ୍ତି’ ପାଇଁ ଏକ ବଡ଼ ନିଷ୍ପତ୍ତି ନେଇଥିଲେ । ଆସନ୍ତା ୫ ବର୍ଷ ପାଇଁ ମିଶନ ଶକ୍ତିରେ ଖର୍ଚ୍ଚ ହେବ ୪ ହଜାର ୯୭୩ କୋଟି । ଏଥିରେ ପ୍ରତ୍ୟେକ ପଞ୍ଚାୟତ ଓ ସହରାଞ୍ଚଳର ପ୍ରତ୍ୟେକ ଓ୍ୱାର୍ଡରେ ’ମିଶନ ଶକ୍ତି’ ଭବନ ନିର୍ମାଣ କରାଯିବ । ଏହା ସହ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ବିଭିନ୍ନ ସାମଗ୍ରୀ ବିକିବାକୁ ୫୦୦ଟି ମିଶନ ଶକ୍ତି ବଜାର ସ୍ଥାପନ ହେବ । ମହିଳା ସ୍ଵୟଂ ସହାୟକ ଗୋଷ୍ଠୀଗୁଡିକୁ ସଂଗଠିତ ଓ ମଜବୁତ୍ କରିବାର ମୂଳ ଉଦ୍ଦେଶ୍ୟ ନେଇ ୨୦୦୧ରେ ଆରମ୍ଭ କରାଯାଇଥିବା ମିଶନ ଶକ୍ତି ଯୋଜନା ଆଜି ଏକ ବଡ ସାମାଜିକ ଓ ଅର୍ଥନୈତିକ ଆନ୍ଦୋଳନରେ ପରିଣତ ହୋଇଛି ।

କ୍ୟାବିନେଟ ନିଷ୍ପତ୍ତି ଅନୁଯାୟୀ ଆଗାମୀ ୫ ବର୍ଷରେ ମିଶନ ଶକ୍ତି ଯୋଜନାରେ ସ୍ୱୟଂ ସହାୟକ ଗୋଷ୍ଠୀଗୁଡ଼ିକୁ ୫୦ ହଜାର କୋଟି ଟଙ୍କାର ବ୍ୟାଙ୍କ ଋଣ ବ୍ୟବସ୍ଥା ସହିତ ଏସଏଚଜିଙ୍କୁ ୧୨ ଶହ କୋଟି ଟଙ୍କାର ସୁଧ ପର୍ଯ୍ୟନ୍ତ ରିହାତି ରହିବ । ପ୍ରାୟ ୩୫ରୁ ୪୦ ଲକ୍ଷ ମହିଳା ଏସଏଚଜି ସଦସ୍ୟାଙ୍କୁ ଜୀବିକା ନିର୍ବାହ ଓ ଦକ୍ଷତା ବୃଦ୍ଧି କାର୍ଯ୍ୟକ୍ରମ ଅଧୀନରେ ତାଲିମ ମଧ୍ୟ ଦିଆଯିବ । ବିଭିନ୍ନ ସରକାରୀ ବିଭାଗଙ୍କ ସହଭାଗିତାରେ ମିଶନ ଶକ୍ତି ସ୍ୱୟଂ ସହାୟକ ଗୋଷ୍ଠୀ ତଥା ମହାସଂଘକୁ ୬ ହଜାର ୬୦୦ କୋଟିରୁ ଅଧିକ ବ୍ୟବସାୟ ଯୋଗାଇ ଦିଆଯିବ ।

ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀଗୁଡିକୁ ସଙ୍ଗଠିତ ଓ ମଜଭୁତ କରିବା ଉଦ୍ଦେଶ୍ୟରେ ୨୦୦୧ରେ ମିଶନ ଶକ୍ତି ଯୋଜନାର ଆରମ୍ଭ ହୋଇଥିଲା । ଏବେ ଏହି ଯୋଜନା ଏକ ବଡ଼ ସାମାଜିକ ଓ ଅର୍ଥନୈତିକ ଆନ୍ଦୋଳନରେ ପରିଣତ ହୋଇଛି । ୨୦ ବର୍ଷରେ ମିଶନ ଶକ୍ତିରେ ୭୦ ଲକ୍ଷ ମହିଳାଙ୍କୁ ୬.୦୨ ଲକ୍ଷରୁ ଅଧିକ ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀରେ ସଙ୍ଗଠିତ କରିବାରେ ସକ୍ଷମ ହୋଇଛି । ଗତବର୍ଷ ତୃଣମୂଳ ସ୍ତରରେ ଲକ୍ଷ ଲକ୍ଷ ମହିଳାଙ୍କ ଯୋଗଦାନକୁ ତ୍ୱରାନ୍ୱିତ କରିବା ତଥା ସ୍ଥାୟୀ ଜୀବିକା ସୃଷ୍ଟି କରିବା ପାଇଁ ଓଡ଼ିଶା ସରକାର ମିଶନନ ଶକ୍ତିକୁ ଏକ ସ୍ୱତନ୍ତ୍ର ବିଭାଗ ଭାବେ ଘୋଷଣା କରିଛନ୍ତି । ଏହି ଯୁଗାନ୍ତକାରୀ ପଦକ୍ଷେପ ଦ୍ୱାରା ଆଗାମୀ ୫ ବର୍ଷରେ ସରକାରୀ ବିଭାଗମାନଙ୍କ ସହିତ ଦ୍ରବ୍ୟ ଓ ସେବା ଯୋଗାଣ ମାଧ୍ୟମରେ ୫ ହଜାର କୋଟି ଟଙ୍କାର ବ୍ୟବସାୟ ସ୍ୱୟଂ ସହାୟକ ଗୋଷ୍ଠୀଗୁଡ଼ିକ ପାଇପାରିବେ ।

Cabinet DecisionsMission ShaktiOdishaWomen Empowerment