ଆନ୍ଦୋଳନ ବେଳେ କଂଗ୍ରେସ କର୍ମୀଙ୍କୁ ମାଡିବସିଲେ ମହୁମାଛି। ଗୋଡାଇ ଗୋଡାଇ କାମୁଡିଲେ। ବିଷ୍ଣୁପଦ ସେଠୀଙ୍କ ଘର ଘେରାଉ ବେଳେ ଆକ୍ରମଣ କଲେ ଶହ ଶହ ମହୁମାଛି ।
ଏହାକୁ ଦେଖି କିଛି କଂଗ୍ରେସ କର୍ମୀ ଛାନିଆରେ ଗାଡ଼ି ଧରି ପଳାଇଥିଲେ। ପୋଲିସ ଓ ଗଣମାଧ୍ୟମ ପ୍ରତିନିଧି ମଧ୍ୟ ଏ ଅକସ୍ମାତ ଆକ୍ରମଣରୁ ବର୍ତ୍ତି ନଥିଲେ ।
ଆନ୍ଦୋଳନ ଭଣ୍ଡୁର ପାଇଁ ମହୁମାଛି ଆକ୍ରମଣର ଷଡଯନ୍ତ୍ର କରାଯାଇଥିବା ଅଭିଯୋଗ ଆଣିଛନ୍ତି କଂଗ୍ରେସ କର୍ମୀ। ଲଢ଼େଇ ଜାରି ରଖିବାକୁ ପଣ କରିଛନ୍ତି ।
ଆଇଏଏସ ଅଧିକାରୀ ବିଷ୍ଣୁପଦ ସେଠୀଙ୍କୁ ସିବିଆଇ ସମନ କରିଥିଲା। ମର୍ସିଡିଜରୁ ୧୦ ଲକ୍ଷ ଟଙ୍କା ଜବତ ହେବା ଘଟଣାରେ ବିଷ୍ଣୁପଦଙ୍କ ସମ୍ପୃକ୍ତି ଥିବା ସନ୍ଦେହରେ ସିବିଆଇ ପକ୍ଷରୁ ଏହି ସମନ ଜାରି କରାଯାଇଥିବା ସୂଚନା ମିଳିଥିଲା।
ଏଥିପାଇଁ ବିଷ୍ଣୁପଦଙ୍କୁ ସିବିଆଇ କାର୍ଯ୍ୟାଳୟରେ ହାଜର ହେବାକୁ ଗତ ୧୦ ତାରିଖରେ ସିବିଆଇ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଥିଲା। ଗତ ୧୧ ତାରିଖ ସକାଳ ୧୦ଟାରେ କାର୍ଯ୍ୟାଳୟରେ ହାଜର ହେବା ପାଇଁ ନିର୍ଦ୍ଦେଶ ଜାରି କରାଯାଇଥିଲା । ହେଲେ ସେ ଏ ପର୍ଯ୍ୟନ୍ତ ହାଜର ହୋଇନଥିବା ସୂଚନା ମିଳିଛି । ଆଜି ସେ ସିବିଆଇ କାର୍ଯ୍ୟାଳୟରେ ହାଜର ହୋଇ ନିଜ ପକ୍ଷ ରଖିପାରନ୍ତି ।
ସିବିଆଇ ଅଫିସ ଆଗରେ କଡ଼ା ପହରା ଥିବାସହ, ବ୍ୟାପକ ପୋଲିସ ଫୋର୍ସ ମୁତୟନ ହୋଇଥିବା ଦେଖିବାକୁ ମିଳିଥିଲା। କିନ୍ତୁ ମହୁମାଛି ଆକ୍ରମଣ ଏକ ନୂଆ ମୋଡ଼ ନେଇଛି।